ନୂଆଦିଲ୍ଲୀ,୦୪/୦୫:ପାକିସ୍ତାନ ଉପରେ ଆଉ ଏକ ପ୍ରଚଣ୍ଡ ପ୍ରହାର କରିଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦ ଓ ବାୟୁସୀମା ବନ୍ଦ କରିଦିଆଯିବା ପରେ ଏବେ ଜାହାଜଗୁଡ଼ିକର ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ପାକିସ୍ତାନର ଆଉ କୌଣସି ଜାହାଜ ଭାରତର ବନ୍ଦରରେ ପଶିପାରିବ ନାହିଁ । ଅନ୍ୟପକ୍ଷରେ ଭାରତର କୌଣସି ଜାହାଜ ମଧ୍ୟ ପାକିସ୍ତାନକୁ ଯିବ ନାହିଁ । ଏଥିସହ ଭାରତ ମଧ୍ୟ ପାକିସ୍ତାନ ସହ ଡାକ ସେବାକୁ ସସ୍ପେଣ୍ଡ କରିଛି । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏ ନେଇ ବିଜ୍ଞପ୍ତି ଜାରି କରିଛି ।
ଏଥିରେ କୁହାଯାଇଛି, ପାକିସ୍ତାନର ପତାକା ଲାଗିଥିବା କୌଣସି ଜାହାଜକୁ ଭାରତୀୟ ବନ୍ଦରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଏଥିସହ ଭାରତର କୌଣସି ଜାହାଜ ମଧ୍ୟ ପାକ୍ ବନ୍ଦର ବ୍ୟବହାର କରିବ ନାହିଁ । ଭାରତୀୟ ସମ୍ପତ୍ତି, କାର୍ଗୋ ଓ ଏଥିସହ ଜଡ଼ିତ ଭିତ୍ତିଭୂମିର ସୁରକ୍ଷା ସକାଶେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ପରବର୍ତ୍ତୀ ସୂଚନା ଜାରି ନ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବା ନେଇ ସ୍ପଷ୍ଟ କରାଯାଇଛି । ଏହାବ୍ୟତୀତ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଡାକ ସେବା ମଧ୍ୟ ସସ୍ପେଣ୍ଡ କରିଦିଆଯାଇଛି । ଏଣିକି ପାକିସ୍ତାନରୁ କୌଣସି ପ୍ରକାର ଡାକ ଓ ପାର୍ସଲକୁ ଗ୍ରହଣ କରାଯିବ ନାହିଁ ।
ଡାକ ବିଭାଗ ମୁତାବକ, ଆକାଶ କିମ୍ବା ସ୍ଥଳଭାଗ ଦେଇ ଆସୁଥିବା କୌଣସି ପ୍ରକାର ମେଲ୍ ଓ ପାର୍ସଲକୁ ସ୍ୱୀକାର କରାଯିବ ନାହିଁ । ଭାରତରୁ ମଧ୍ୟ କୌଣସି ଡାକ ସାମଗ୍ରୀ ପାକିସ୍ତାନ ଯିବନାହିଁ । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପାକିସ୍ତାନର ୟୁଟ୍ୟୁବ୍ ଚ୍ୟାନେଲ୍ ଓ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ବ୍ୟାନ୍ ଲଗାଯାଇଥିଲା । ଭାରତ ବିରୋଧରେ ମିଥ୍ୟା ପ୍ରଚାର କରାଯିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା । ପାକିସ୍ତାନର ଆମଦାନି ଉପରେ ତତ୍କାଳ ରୋକ୍ ଲଗାଯାଇଛି । ସବୁ ପ୍ରକାର ପଣ୍ୟ ପରିବହନର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନି ଉପରେ କଟକଣା ଲଗାଯାଇଛି । ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟର ବହିର୍ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ଶୁକ୍ରବାର ଏ ନେଇ ବିଜ୍ଞପ୍ତି ଜାରି କରିଥିଲା । ତେଣୁ ଶୁକ୍ରବାରଠାରୁ ହିଁ ପାକ୍ ଆମଦାନିକୁ ରୋକାଯାଇଛି । ସେତିକି ନୁହେଁ, ଅନ୍ୟ କୌଣସି ଦେଶରୁ ପାକିସ୍ତାନ ମାଧ୍ୟମରେ ଆସୁଥିବା ସାମଗ୍ରୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।
ତେବେ ପାକିସ୍ତାନରୁ ଆମଦାନି ତୁଳନାରେ ରପ୍ତାନି ଅଧିକ ହେଉଥିଲା । ଗତବର୍ଷ ଏପ୍ରିଲରୁ ଏ ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ରପ୍ତାନି ପରିମାଣ ୪୪.୭୬ କୋଟି ଡଲାର ଥିଲା ବେଳେ ଆମଦାନି ମାତ୍ର ୪.୨ ଲକ୍ଷ ଡଲାର ରହିଥିଲା । ପାକିସ୍ତାନରୁ ଆମଦାନି ହେଉଥିବା ସାମଗ୍ରୀ ମଧ୍ୟରେ ଅଞ୍ଜିର, ତୁଳସୀ ଓ ରୋଜମେରି ଜଡ଼ିବୁଟି, କିଛି ରସାୟନ ଉତ୍ପାଦ ଓ ହିମାଳୟ ଗୁଲାବୀ ଲୁଣ ଆଦି ଥିଲା । ୨୦୨୩-୨୪ରେ ଆମଦାନି ୨୮.୮ ଲକ୍ଷ ଡଲାର ଥିଲା । ୨୦୨୪-୨୫ ବେଳେ ପଡ଼ୋଶୀ ଦେଶରୁ ଫଳ, ଡାଲି, ଔଷଧୀୟ ବୃକ୍ଷ ଓ ଜୈବିକ ରସାୟନ ଆଦି ଆସିଥିଲା । ଅନ୍ୟପକ୍ଷରେ ୨୦୨୩-୨୪ରେ ପାକିସ୍ତାନକୁ ଭାରତର ରପ୍ତାନି ପରିମାଣ ୧.୧୮ ବିଲିୟନ ଡଲାର ରହିଥିଲା । ୨୦୨୨-୨୩ ଓ ୨୦୨୧-୨୨ରେ ଭାରତ ଯଥାକ୍ରମେ ୬୨.୭୧ କୋଟି ଡଲାର ଓ ୫୧.୩୮ ଲକ୍ଷ ଡଲାର ମୂଲ୍ୟର ଉତ୍ପାଦ ରପ୍ତାନି କରିଥିଲା ବେଳେ ଆମଦାନି ପରିମାଣ ଯଥାକ୍ରମେ ୨.୦୧ କୋଟି ଡଲାର ଓ ୨୫.୪ ଲକ୍ଷ ଡଲାର ରହିଥିଲା । ଜମ୍ମୁ-କାଶ୍ମୀରର ପହଲଗାମ୍ରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆତଙ୍କୀ ହମ୍ଲାରେ ୨୮ ପର୍ଯ୍ୟଟକ ପ୍ରାଣ ହରାଇଥିଲେ ।
ଅନ୍ୟପକ୍ଷରେ ଚେନ୍ନାଇରୁ ଯାଇଥିବା ଏକ ବିମାନକୁ ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ଯାଞ୍ଚ କରାଯାଇଛି । ବିମାନରେ ପହଲଗାମ୍ ଆକ୍ରମଣକାରୀ ଥିବା ନେଇ ସନ୍ଦେହ ଉପୁଜିବା ପରେ ଶ୍ରୀଲଙ୍କାର ସୁରକ୍ଷା କର୍ମୀମାନେ ତଲାସୀ କରିଛନ୍ତି । ଗୁଇନ୍ଦା ତଥ୍ୟ ଆଧାରରେ ଭାରତ ଆଲର୍ଟ କରିବା ପରେ ହିଁ ସେମାନେ ଏହି ପଦକ୍ଷେପ ନେଇଛନ୍ତି । ରିପୋର୍ଟ ମୁତାବକ, ଶ୍ରୀଲଙ୍କା ଏୟାରଲାଇନ୍ସର ଏକ ବିମାନ ଚେନ୍ନାଇରୁ ଉଡ଼ାଣ ଆରମ୍ଭ କରି ଶନିବାର କଲମ୍ବୋର ବନ୍ଦରନାୟକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା । ଏହାପରେ ସେଠାରେ ସୁରକ୍ଷା କର୍ମୀମାନେ ବିମାନକୁ ଘେରିଯାଇଥିଲେ । ବିମାନ ଓ ଏଥିରେ ଲୋକଙ୍କୁ ଜଣ ଜଣ କରି ଯାଞ୍ଚ କରାଯାଇଥିଲା । ବିମାନରେ ପହଲଗାମ୍ ଆକ୍ରମଣର ସନ୍ଦିଗ୍ଧ ଥିବା ନେଇ ସୂଚନା ମିଳିଥିଲା । ଶ୍ରୀଲଙ୍କା ପୁଲିସ ଏହି ଘଟଣା ବାବଦରେ ସ୍ପଷ୍ଟ କରିଛି । ଶ୍ରୀଲଙ୍କା ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ଭାରତରୁ ଆଲର୍ଟ କରାଯିବା ପରେ ଶ୍ରୀଲଙ୍କାର ସୁରକ୍ଷା କର୍ମୀମାନେ ପ୍ରସ୍ତୁତ ରହିଥିଲେ । ବିମାନ ଅବତରଣ କରିବା କ୍ଷଣି ତାହାକୁ ଘେରି ତଲାସୀ କରିଥିଲେ । ବିମାନ ୪ଆର-ଏଏଲ୍ଏସ୍ ଶନିବାର ଦିନ ୧୧ଟା ୫୯ରେ କଲମ୍ବୋରେ ଅବତରଣ କରିଥିଲା । ଯାଞ୍ଚ ପରେ ବିମାନକୁ ପୁନର୍ବାର ଉଡ଼ାଣ ଅନୁମତି ମିଳିଥିଲା ।
ତେବେ ସୁରକ୍ଷାଜନିତ ପ୍ରକ୍ରିୟା ଶେଷ ହେବାରେ ସମୟ ଲାଗିବାରୁ ସିଙ୍ଗାପୁର ଅଭିମୁଖେ ପରବର୍ତ୍ତୀ ଉଡ଼ାଣ ବିଳମ୍ବ ହୋଇଥିଲା । ଇତିମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢ଼େଇ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସ୍ରେ ଅଙ୍ଗୋଲା ରାଷ୍ଟ୍ରପତି ଜୋଆଓ ମାନୁଏଲ ଗୋନକାଲ୍ଭ୍ସ ଲୋରେନ୍କୋଙ୍କୁ ଭେଟିବା ଅବସରରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ବୈଠକରେ ମୋଦି ପହଲଗାମ ଆତଙ୍କବାଦୀ ଆକ୍ରମଣ କଥା ଉଠାଇ କହିଥିଲେ, ଆତଙ୍କବାଦ ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ । ଏଥର ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କ ବିରୋଧରେ କଠୋର ତଥା ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାକୁ ଭାରତ ପ୍ରତିବଦ୍ଧ । ସୀମାପାର ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଦେଇଥିବାରୁ ଅଙ୍ଗୋଲାକୁ ସେ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଅଙ୍ଗୋଲା ରାଷ୍ଟ୍ରପତି ଆତଙ୍କୀ ଆକ୍ରମଣରେ ନିହତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୋଦି ଅଙ୍ଗୋଲାକୁ ଭାରତ ପକ୍ଷରୁ ସହାୟତା ମଧ୍ୟ ଘୋଷଣା କରିଛନ୍ତି । ଅଙ୍ଗୋଲା ସେନାର ଆଧୁନିକୀକରଣ ପାଇଁ ୨୦୦ ନିୟୁତ ଡଲାର ଋଣ ସହାୟତା ଘୋଷଣା କରାଯାଇଛି । ଏଥିସହ ଔଷଧ, କୃଷି ସମେତ ଆଉ କେତେକ କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି ।
ଦେଶର ମୋଟ ବାଣିଜ୍ୟରେ ପାକ୍ର ଯୋଗଦାନ ମାତ୍ର ୦.୦୬% । ୨୦୨୪-୨୫ ଏପ୍ରିଲ-ଜାନୁଆରୀରେ ଏହା ୫୦ କୋଟି ଡଲାର ବି ନ ଥିଲା । ବର୍ତ୍ତମାନ ଏହା ଶୂନ ହୋଇଯିବ । ପାକିସ୍ତାନକୁ ଅନେକ ପ୍ରମୁଖ ସାମଗ୍ରୀ ରପ୍ତାନି ବନ୍ଦ ହୋଇଯିବ ଏବଂ ସେଠାରୁ କିଛି ବି ଭାରତକୁ ଆସିବ ନାହିଁ । ଏସବୁ କଟକଣା ଭାରତକୁ ନୁହେଁ ବରଂ ପାକିସ୍ତାନକୁ ବାଧିବ । ସେଠାରେ ଦରଦାମ ସମସ୍ୟା ଆହୁରି ତେଜିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ୨୦୨୪-୨୫ ଏପ୍ରିଲଜାନୁଆରୀରେ ପାକିସ୍ତାନକୁ ଭାରତରୁ ଯାଇଥିଲା ୪୫ କୋଟି ଡଲାର ମୂଲ୍ୟର ସାମଗ୍ରୀ ଏବଂ ସେଠାରୁ ଆସିଥିଲା ମାତ୍ର ୦.୪୨ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ । ଏଭଳି ସ୍ଥିତିରେ ବାଣିଜ୍ୟିକ କଟକଣା ଭାରତକୁ ନୁହେଁ ବରଂ ପାକ୍କୁ ବାଧିବ ବୋଲି କୁହନ୍ତି ରପ୍ତାନି ସଂଘ ଫିଓ ସଭାପତି ଏସ୍.ସି. ରାଲହନ୍ । ଭାରତରୁ ସୋୟାବିନ, ଫଳମୂଳ, ନାଲି ଲଙ୍କା, ପ୍ଲାଷ୍ଟିକ୍ ଦାନା ଏବଂ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି ହେଉଥିବାବେଳେ ପାକିସ୍ତାନରୁ ଖଜୁରୀ, ଜିପ୍ସମ, ସିମେଣ୍ଟ, କାଚ ଏବଂ ଜଡ଼ିବୁଟି ଆଦି ଭାରତକୁ ଆସୁଥିଲା ।